ବାଲେଶ୍ଵର:୮/୧୧(ବ୍ୟୁରୋ)ବସ୍ତା ବିଧାୟିକା ସୁବାସିନୀ ଜେନା ନିଜ ନିର୍ବାଚନ ମଣ୍ଡଳୀର ତୃଣମୂଳ ସ୍ତରରୁ ଜନସାଧାରଣଙ୍କ ମୌଳିକ ସମସ୍ୟା ଗୁଡ଼ିକ ବିଷୟରେ ଅବଗତ ହେବା ଏବଂ ସେଗୁଡିକର ସମାଧାନ ନିମନ୍ତେ ଏକ ନୂତନ ପ୍ରୟାସ ଆରମ୍ଭ କରିଛନ୍ତି।
ଏହି କ୍ରମରେ ଶୁକ୍ରବାର ଦିନ ସକାଳେ ବସ୍ତା ବ୍ଲକର ଇଡିଦା ପଞ୍ଚାୟତ ଏବଂ ଅପରାହ୍ନରେ ବାଲିଆପାଳ ବ୍ଲକର କୁଣ୍ଡୁଳି ପଞ୍ଚାୟତ ଠାରେ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇ ଯାଇଛି। ଏହି ଶିବିର ରେ ଜନସାଧାରଣ ସେମାନଙ୍କ ଦୈନନ୍ଦିନ ଜୀବନକୁ ପ୍ରଭାବିତ କରୁଥିବା ବିଭିନ୍ନ ସମସ୍ୟା ଗୁଡ଼ିକୁ ବିଧାୟିକାଙ୍କ ନିକଟରେ ଉପସ୍ଥାପନ କରିଥିଲେ । ବିଧାୟିକା ସମସ୍ତ ଅଭିଯୋଗ ଗୁଡ଼ିକ ଶୁଣିବା ସହିତ ତାହାର ସମାଧାନ ପାଇଁ ବା ପଦକ୍ଷେପ ସ୍ୱରୂପ ବିଭାଗୀୟ ଅଧିକାରୀ ମାନଙ୍କ ସହିତ କଥା ହୋଇଥିଲେ। ଏଥି ସହିତ ତୃଣମୂଳ ସ୍ତରରେ ଜନସାଧାରଣଙ୍କ ମୌଳିକ ସମସ୍ୟାର ସମାଧାନ କରିବା ପାଇଁ ବସ୍ତା ନିର୍ବାଚନମଣ୍ଡଳୀର ପ୍ରତ୍ୟେକ ପଞ୍ଚାୟତରେ ପର୍ଯ୍ୟାୟ କ୍ରମେ ପହଞ୍ଚି ସମାନ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ର ଆୟୋଜନ କରାଯିବ ବୋଲି କହିଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ଇଡିଦା ପଞ୍ଚାୟତର ସରପଞ୍ଚଙ୍କ ପ୍ରତିନିଧି ଦେବୀ ପ୍ରସାଦ ଭଞ୍ଜ, ପଞ୍ଚାୟତ ପି.ଇ.ଓ ପ୍ରଦୀପ ଆଦେକ, ଏ.ଡି.ଓ. କିଶୋର ଚନ୍ଦ୍ର ସାହୁ, ସେହିପରି କୁଣ୍ଡୁଳି ପଞ୍ଚାୟତର ସରପଞ୍ଚ ଜୟନ୍ତ ଦାସ, ସମିତି ସଭ୍ୟା ନମିତା ମଲ୍ଲିକ, ପିଇଓ ଗୌତମ ସେଠୀ, ଏ.ଡି.ଇ.ଓ. ମାନସ ରଞ୍ଜନ ନାୟକଙ୍କ ସମେତ ବହୁ ଜନସାଧାରଣ ଉପସ୍ଥିତ ଥିଲେ। ଏହି ଜନ ଶୁଣାଣି ଶିବିର ବସ୍ତା ନିର୍ବାଚନମଣ୍ଡଳୀର ହଜାର ହଜାର ଗ୍ରାମୀଣ ପରିବାରଙ୍କ ବିକେନ୍ଦ୍ରୀକୃତ ଅଭିଯୋଗ ସମାଧାନରେ ଏକ ନୂତନ ମାନଦଣ୍ଡ ସ୍ଥାପନ କରିବ ବୋଲି ଆଶା କରାଯାଉଛି। ଆଜିର ଶିବିର ରେ ଯୋଗଦାନ କରିଥିବା ଲୋକମାନେ ବିଧାୟିକାଙ୍କ ଏଭଳି ଅଭିନବ ପଦକ୍ଷେପକୁ ଭୂୟସୀ ପ୍ରଶଂସା କରିଥିଲେ।