ବାଲେଶ୍ଵର:୫/୧୧(ବ୍ୟୁରୋ): ମଙ୍ଗଳବାର ପୂର୍ବାହ୍ଣରେ ସିଂଲା ଥାନା ଅନ୍ତର୍ଗତ ଆମ୍ବକୁଡ଼ୁଚି ଗ୍ରାମରେ ଦେଭୋଗ, କାଦରାୟାଁ, ଆମ୍ବକୁଡ଼ୁଚି ଓ ଗିଲାଯୋଡ଼ି ଗ୍ରାମବାସୀମାନଙ୍କୁ ନେଇ ସୁବର୍ଣ୍ଣରେଖା ନଦୀ ତଟବର୍ତ୍ତୀ ଅଞ୍ଚଳର ସୁରକ୍ଷା ଏବଂ ବାଲି ଚାଲାଣ ବିରୋଧରେ ଏକ ଜନସଚେତନତା ଅଭିଯାନ ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି।
ଯୁବ ସମାଜସେବୀ ଜ୍ୟୋତିର୍ମୟ ନନ୍ଦ ଏଥିରେ ସଭାପତିତ୍ବ କରିଥିଲେ। ନଦୀ ସୁରକ୍ଷା ସମିତିର ଆବାହକ ସମୀର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବାଲି ବେପାରୀଙ୍କ କବଳରୁ ସାଧାରଣ ଜନତା, ସ୍କୁଲ ଓ ଅଙ୍ଗନବାଡ଼ିର ଛାତ୍ରଛାତ୍ରୀ, ରୋଗୀର ଜୀବନ ସୁରକ୍ଷା ନିମନ୍ତେ ଉପସ୍ଥିତ ଗ୍ରାମବାସୀ ସ୍ବରତ୍ତୋଳନ କରିବା ଉଚିତ ବୋଲି ବକ୍ତବ୍ଯରେ କହିଥିଲେ। ସୂଚନା ଥାଉକି କାଦରାୟାଁ, ଦେଭୋଗ, ଆମ୍ବକୁଡ଼ୁଚି ଗ୍ରାମରେ ୨୦୨୦ ମସିହାରେ ରାଜ୍ୟ ସରକାରଙ୍କ ଖଣି ବିଭାଗ ତରଫରୁ ୫ଟି ବାଲିଖାଦାନକୁ ବାଲି ଉତ୍ତୋଳନ ପାଇଁ ଚଳିତ ବର୍ଷ ୧୩ ଡ଼ିସେମ୍ବର ପର୍ଯ୍ୟନ୍ତ ନିଲାମ ସ୍ବରୂପରେ ଦିଆଯାଇଛି। ଯାହାର ଅବଧି ୨୦୨୪/୨୦୨୫ ମସିହା ଆର୍ଥିକ ବର୍ଷରେ ଶେଷ ହେବାକୁ ଯାଉଛି।ଦ୍ରୁତ ଗତିରେ ପାଣି ମିଶା ବାଲି ଗାଡି ସବୁ ଚାଲିବା ଦ୍ୱାରା ଗ୍ରାମାଞ୍ଚଳ ରାସ୍ତା ର ଅବସ୍ଥା ଅତ୍ୟନ୍ତ ସଚନୀୟ ହୋଇପଡିଛି। ପାଞ୍ଚ ବର୍ଷ ମଧ୍ୟରେ ଦୁର୍ଘଟଣା ଘଟି ଅନେକ ନିରୀହ ଜୀବନ ଯାଇଥିଲେ ମଧ୍ୟ ପ୍ରଶାସନ ଚୁପ ରହିଛି। ଅଣଓସାରିଆ ରାସ୍ତା ରେ ତିନୋଟି ଖାଦାନ ର ଗାଡି ଯିବା ଆସିବା ଦ୍ୱାରା ପିଲାମାନେ ସ୍କୁଲ, କଲେଜ ଯିବା ଆସିବା, କିମ୍ବା ସାଧାରଣ ଲୋକେ ମଧ୍ୟ ଯାତାୟାତ ରେ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି। ଦିନ ରାତି ଗାଡି ଚାଲିବା ଦ୍ୱାରା ନଦୀ ବନ୍ଧ ମଧ୍ୟ ଦୁର୍ବଳ ହୋଇ ଗ୍ରାମ ମୁହାଁ ଗତିପଥ ବଦଳାଉଛି ସୁବର୍ଣ୍ଣରେଖା। ତେଣୁ ତୁରନ୍ତ ଗ୍ରାମ ଲୋକଙ୍କୁ ସୁରକ୍ଷା ସହିତ, ନଦୀ ବନ୍ଧ ଓ ରାସ୍ତା ର ସୁରକ୍ଷା ଦେବାକୁ ଦାବି କରି ଗ୍ରାମବାସୀ ମାନଙ୍କ ଦ୍ୱାରା ପ୍ରତିବାଦ ସଭା କରାଯାଇଛି। ସରକାର ଓ ପ୍ରଶାସନ ଏସବୁ ର ସୁରକ୍ଷା ଦେବାରେ ଅସମର୍ଥ ହେଲେ ଆଗାମୀ ଦିନରେ ଏହି ସବୁ ଗ୍ରାମରେ ଲୋକ ସାମୁହିକ ଭାବେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। ସଭାରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ବୁଦ୍ଧିଜୀବୀ ତଥା ଅବସରପ୍ରାପ୍ତ ଶିକ୍ଷକ ଭାସ୍କର ଚନ୍ଦ୍ର ଘୋଷ, ବରିଷ୍ଠ ସମାଜସେବୀ ଧ୍ରୁବଚରଣ ନାୟକ, ପୁଟୁରା ପଂଚାୟତ ସରପଞ୍ଚ ରାଧାକୃଷ୍ଣ ବେହେରା, ବରିଷ୍ଠ ନାଗରିକ ବାସୁଦେବ ପଣ୍ଡା, ଆମ୍ବକୁଡ଼ୁଚି ଗ୍ରାମର ଯୁବ ପ୍ରତିଭା ପ୍ରକାଶ ଚନ୍ଦ୍ର ଜେନା, ବଳରାମ ଜେନା, ସୁବାସ ଜେନା, ରାଜେନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।