ବାଲେଶ୍ଵର :୩୧।୧୦(ବ୍ୟୁରୋ): ଆମ ଉତ୍କଳୀୟ ନୌବାଣିଜ୍ୟରେ ସ୍ମୃତି ବହନ କରି କାର୍ତ୍ତିକ ପୂର୍ଣ୍ଣିମା ତଥା ପଞ୍ଚୁକର ଉଦଯାପନ ଦିନ ବିଗତ ବର୍ଷ ଭଳି ଏବର୍ଷ ମଧ୍ୟ ଉତ୍ତର ବାଲେଶ୍ବରରେ ପବିତ୍ର ସୁବର୍ଣ୍ଣରେଖାର ନଦୀର ତଟଦେଶରେ ଥିବା ବେଣାପୁରା ରାଜଘାଟର ବାରୁଣି ପଡ଼ିଆ ନିକଟରେ ଆସନ୍ତା ବୁଧବାର ପ୍ରାତଃ କାଳରେ ବିଶାଳ ବୋଇତ ବନ୍ଦାଣ ଓ ସୂର୍ଯ୍ୟବନ୍ଦନ,ଆରତୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ସଂସ୍କୃତି ସମ୍ପନ୍ନ ପରମ୍ପରାକୁ ଏ ମାଟିର ସମସ୍ତ ମଣିଷଙ୍କ ମାନସପଟ୍ଟରେ ପୁନଃ ଜାଗ୍ରତ କରାଇବା ଉଦ୍ଦେଶ୍ୟରେ ଗଠନ ହୋଇଥିବା ଏକ ସାମାଜିକ ମଙ୍ଗଳକାରୀ, ବିକାଶନ୍ମୁଖୀ ଓ ସଂସ୍କୃତିଧର୍ମୀ ଅନୁଷ୍ଠାନ ‘ପ୍ରଣାମ ଭାରତ’ର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଶୁକ୍ରବାର ଅପରାହ୍ଣରେ ବସ୍ତା ଥାନା ବେଣାପୁରା ପଡ଼ିଆସ୍ଥିତ ଜଗନ୍ନାଥ ମନ୍ଦିର ସଭାଗୃହ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସଂଗଠନର ସଭାପତି ଇଂ. ତ୍ରିଭୁବନ ଦାସ ମତ ପ୍ରକାଶ କରିଥିଲେ।
ସଂଗଠନର ମୁଖ୍ୟ ସଂଯୋଜକ ଇଂ. ପରମାନନ୍ଦ ମହାପାତ୍ର ଯୋଗ ଦେଇ ୨୦୨୩ ମସିହାରେ ଉତ୍ତର ବାଲେଶ୍ବରରେ କେତେଜଣ ଅବସରପ୍ରାପ୍ତ ଶିକ୍ଷାବିତ୍, ଯନ୍ତ୍ରୀ, ଡ଼ାକ୍ତର,ସାମାଜିକ ସେବାକର୍ମୀ,ଉଦୀୟମାନ ଉଦ୍ୟୋଗପତି,ଏବଂ ଯୁବକ ମାନଙ୍କୁ ନେଇ ଗଠିତ ହୋଇଥିବା ଏହି ଅନୁଷ୍ଠାନଟି ବିଗତ ଦୁଇ ବର୍ଷ ମଧ୍ୟରେ ଆମ ସାମାଜିକ ପରମ୍ପରା, ଐତିହ୍ଯ ଏବଂ ସାଂସ୍କୃତିକ ଅବକ୍ଷୟକୁ ରୋକାଯାଇ ଏକ ବିକଶିତ ବାଲେଶ୍ବର ଗଠନ ପାଇଁ ଏହି ସଂଗଠନ ଚେଷ୍ଟା ଚଳାଇ ଆସିଥିବା ସହ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ସ୍ବଚ୍ଛ ଅଭିଯାନ, ସଚେତନତା, ବୃକ୍ଷରୋପଣ ଏବଂ ମାନସିକ ଜାଗରୂକତା ସୃଷ୍ଟି ପାଇଁ ଉତ୍ତର ବାଲେଶ୍ବରରେ ବହୁବିଧ କାର୍ଯ୍ୟ କରି ଆସୁଥିବା କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉପ ସଭାପତି ଅଜିତ୍ କୁମାର ଦତ୍ତ,ସଂପାଦିକା ଯୋଗସ୍ମିତା ମହାପାତ୍ର,ଯୁଗ୍ମ ସଂପାଦକ ବିଜୟ କୁମାର ମହାନ୍ତି,କୋଷାଧ୍ଯକ୍ଷ ନୃସିଂହ ପ୍ରସାଦ ଦାସ ମହାପାତ୍ର,ଉପଦେଷ୍ଟା ଇଂ. ପରମାନନ୍ଦ ମହାପାତ୍ର, ସଦସ୍ୟ ଦେବଜ୍ୟୋତି ଦାସ ମହାପାତ୍ର, ଗ୍ରାମ୍ୟ କମିଟି ସଭାପତି ମାନସ କୁମାର ଉପାଧ୍ଯାୟ, ସଂପାଦକ ନରେଶ ଚନ୍ଦ୍ର ମହାନ୍ତି, ସମାଜସେବୀ ରମେଶ ଚନ୍ଦ୍ର ପ୍ରଧାନ, ବିରଞ୍ଜନ ଦାସ ମହାପାତ୍ର, ପ୍ରତାପ ଚନ୍ଦ୍ର ଗିରି, ଧ୍ରୁବ ଚରଣ ନାୟକ,ପୁଟୁରା ସରପଞ୍ଚ ରାଧାକୃଷ୍ଣ ବେହେରା, ସତୀଶ କୁମାର ମହାପାତ୍ର, ଅକ୍ଷୟ କୁମାର ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ। ଶ୍ରୀ ଦାସ ଅତିଥି ପରିଚୟ ପ୍ରଦାନ ଏବଂ ମଞ୍ଚ ପରିଚାଳନା କରିଥିଲେ। ତେବେ ଉକ ରାସପୂର୍ଣ୍ଣିମା ଦିନ ବସ୍ତା,ଜଳେଶ୍ବର,ଭୋଗରାଇ ବାଲିଆପାଳ ଓ ବାଲେଶ୍ବର ସଦର ବ୍ଲକ୍ ସହିତ ପୋଡ଼ଶୀ ମୟୁରଭଂଜ ଜିଲା ରାସଗୋବିନ୍ଦପୁର ଓ ମୋରଡ଼ା ବ୍ଲକ୍ ଅଞ୍ଚଳରୁ ସହସ୍ରାଧିକ କାର୍ତ୍ତିକ ବ୍ରତଧାରୀ ମା ଓ ମାଉସୀ ସେଦିନ ଉପସ୍ଥିତ ହୋଇ ବୋଇତ ବନ୍ଦାଣ ଓ ସୂର୍ଯ୍ୟପୂଜନରେ ଅଂଶଗ୍ରହଣ କରିବା ସହ ରାଇ ଦାମୋଦରଙ୍କ ଉଦ୍ଦେଶ୍ୟରେ ପାଳନ କରିଥିବା ମାସାଧିକ କାଳର ସମାପନ କରିବେ। ପ୍ରାତଃକାଳରେ ଏହି ପାରମ୍ପରିକ ଉତ୍ସବକୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ବର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଉଦ୍ଘାଟନ କରିବା ସହ ବିଧାନସଭା ଉପମୁଖ୍ୟ ସଚେତକ ତଥା ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ଉପଜିଲାପାଳ ଶିବ ମାଲବ୍ୟ, ଗେଲ ଇଣ୍ଡିଆର ଜିଲା ଜେନେରାକ ମ୍ୟାନେଜର ସେଲ୍ ଭାମ ଜୀ, ଦକ୍ଷିଣପୂର୍ବ ରେଳପଥର ଆଞ୍ଚଳିକ ଉପଭୋକ୍ତା ସମିତି ପ୍ରତିନିଧି ମୋହିତ ପୋଦ୍ଦାର, ଜଳେଶ୍ବର ବିଡ଼ିଓ ଗୌରାଙ୍ଗ ଘୋଷ ପ୍ରମୁଖ ଯୋଗଦେବାର ସ୍ବୀକୃତି ପ୍ରଦାନ କରିଥିବା ବେଳେ ଏକ ଅବ୍ୟର୍ଥନା ସଭାରେ ପୂର୍ବ ବର୍ଷ ଭଳି ଏହି ଅଞ୍ଚଳର ବିକଶିତ ପ୍ରତିଭା ମାନଙ୍କୁ ସମ୍ମାନିତ କରିବା ପାଇଁ କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଥିବା ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି ।